କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ

କୃଷିଜାତ ଦ୍ରବ୍ୟର ରପ୍ତାନୀ ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରୁ କୃଷି-ରପ୍ତାନୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପରାମର୍ଶ ବୈଠକ କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଦେଶ ବିଦେଶରେ ବହୁତ ଚାହିଦା । ରପ୍ତାନୀ ସମୟରେ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାଗୁଡ଼ିକର ସମାଧାନ କରି ବ୍ୟବସାୟୀଙ୍କ ପାଇଁ ଏକ ଅନୁକୂଳ ଇକୋସିଷ୍ଟମ ସୃଷ୍ଟି କରିବା ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଦେଶ ବିଦେଶରେ ଚାହିଦା ଥିବା ରପ୍ତାନୀ ଉଦ୍ଦିଷ୍ଟ ପ୍ରମୁଖ କୃଷି ଉତ୍ପାଦଗୁଡ଼ିକୁ ଚିହ୍ନଟ କରି ଓଡ଼ିଶାରୁ କୃଷି ରପ୍ତାନୀ ବୃଦ୍ଧି କରିବା ଏହି ବୈଠକର ପ୍ରମୁଖ ଲକ୍ଷ୍ୟ । ରପ୍ତାନୀ ପ୍ରକ୍ରିୟାକୁ ସହଜ,ସୁଗମ କରିବା ସହିତ କୃଷିଜାତ ଦ୍ରବ୍ୟର ରପ୍ତାନୀ କ୍ଷେତ୍ରକୁ ଅଧିକ ସମ୍ପ୍ରସାରିତ କରିବା ପାଇଁ ଆବଶ୍ୟକ ନୀତିଗତ ସହାୟତା ପ୍ରଦାନ କରାଯିବ ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଥିଲେ ।ରପ୍ତାନୀ ଢାଞ୍ଚାକୁ ସୁଦୃଢ଼ କରି, ବିଶ୍ୱ ବଜାରରେ ଓଡ଼ିଶା ନିଜର ଉପସ୍ଥିତି ଜାହିର କରିପାରିବ । କୃଷକ ଓ କୃଷି ଉତ୍ପାଦକ ସଂଗଠନଗୁଡ଼ିକୁ ଅନ୍ତର୍ଜାତୀୟ ବଜାର ସହ ସଂଯୋଗୀକରଣ କୃଷକଙ୍କ ଆୟ ବହୁଗୁଣିତ କରିବାରେ ସହାୟକ ହେବ । ଓଡ଼ିଶାର କୃଷି କ୍ଷେତ୍ରରେ ଥିବା ଭରପୂର ସମ୍ଭାବନାକୁ ସମ୍ପ୍ରସାରଣ କରି ରାଜ୍ୟର ଅର୍ଥନୀତିରେ ଏକ ଅର୍ଥପୂର୍ଣ୍ଣ ଯୋଗଦାନ କରିବା ପାଇଁ ଡ଼ ପାଢ଼ୀ ରପ୍ତାନିକାରୀ ଓ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ କଲ୍ୟାଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ବାଣିଜ୍ୟ ଓ ପରିବହନ ବିଭାଗ, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ (APEDA), ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର (WTC), AAI କାର୍ଗୋ ଲଜିଷ୍ଟିକ୍ସ ଆଣ୍ଡ ଆଲାଏଡ୍ ସର୍ଭିସେସ୍ କମ୍ପାନୀ ଲିମିଟେଡ୍ (AAICLAS) ଏବଂ ପାଲାଡିୟମ୍ ର ବୈଷୟିକ ସହାୟତା ୟୁନିଟ୍ ପ୍ରତିନିଧିଙ୍କ ସମେତ ପ୍ରମୁଖ ଅଧିକାରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *