ପୁଅ କୁ ଆକ୍ରମଣ କରି ଘଟଣାସ୍ଥଳରୁ ପିତା ଫେରାର।
ଗଞ୍ଜାମ:ହିଞ୍ଜିଳି ଥାନା ଅର୍ନ୍ତଗତ ପୋଡିଙ୍ଗି ଗ୍ରାମର ମନୋଜ ବେହେରା ନିଜ ସ୍ତ୍ରୀ ବାସନ୍ତୀ ସହ ଗଣ୍ଡଗୋଳ କରି ଖାଇବାକୁ ନଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା। ଏହି ଭଳି ପରିସ୍ଥିତିରେ ବାସନ୍ତୀ ଗତ ୭ ମାସ ହେଲା ନିଜ ଦୁଇ ପୁଅ ଶିବ ଓ ସୁମନକୁ ଧରି ଭୁବନେଶ୍ଵର ଚାଲି ଯାଇଥିଲା ଓ ସେଠାରେ ଶ୍ରମିକ ଭାବେ କାମ କରି ଦୁଇ ପିଲାକୁ ଧରି ରହିଥିଲା। ଗତ ଶନିବାର ଦିନ ମନୋଜ ଭୁବନେଶ୍ଵର ଯାଇ ବୁଝାମଣା କରି ସ୍ତ୍ରୀ ଓ ପୁଅ ଦୁଇ କୁ ଧରି ଗାଁ କୁ ଆସିଥିଲା। କିନ୍ତୁ ମଙ୍ଗଳବାର ଦିନ ପୁଣି ସ୍ତ୍ରୀ ସହ ଝଗଡା କରି ମାଡ଼ ମାରିବା ସହ ଦୁଇ ପୁଅ କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବାବେଳେ ବାପା ର ଏହି ପରିସ୍ଥିତି ଦେଖି ଦୁଇ ପୁଅ ଘଟଣାସ୍ଥଳରୁ ଚାଲିଯାଇଥିଲେ। ପୁଣି ଗତକାଲି ମନୋଜ ମଦ ପିଇ ରାସ୍ତାରେ ଯାଉଥିବା ବେଳେ ଛୋଟ ପୁଅ ସୁମନ ସାହି ସାଙ୍ଗ ମାନଙ୍କ ସହ ଖେଳୁଥିବା ଦେଖି ଏକ ଛୁରୀ ରେ ସୁମନ କୁ ଆକ୍ରମଣ କରିବାରୁ ତାର ମୁହଁରେ ଆଘାତ ଲାଗି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ିଯାଇଥିଲା ଓ ମନୋଜ ସେଠାରୁ ଫେରାର ହୋଇଯାଇଥିଲା।ଗାଁ ଲୋକେ ଦେଖି ଗୁରୁତର ସୁମନ କୁ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ପୁଅ ର ଚିକିତ୍ସା କରି ବାସନ୍ତୀ ଥାନା ରେ ଆସି ଅଭିଯୋଗ କରିଥିଲା। ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.