ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲାରେ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା ୯/୧ /୨୫: ୭୬ତମ ସାଧାରଣତନ୍ତ୍ର ଦିବସ-୨୦୨୫ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଜାତୀୟ ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଅଧ୍ୟକ୍ଷତା ସ୍ଥାନୀୟ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସେ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଉପସ୍ଥିତ ସଦସ୍ୟମାନଙ୍କ ସହ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟସଂପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ବୈଠକରେ ସଂଯୋଜନା ଜିଲ୍ଲା ସୂ୍‌ଚନା ଓ ଲୋକସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା କରି ଥିଲେ l ଆସନ୍ତା ଜାନୁଆରୀ ୨୬ ତାରିଖ ସକାଳ ୮.୩୦ ମିନିଟ୍ ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ମୁଖ୍ୟଅତିଥି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ l

ଏଥିି ପାଇଁ ଜାନୁଆରୀ ୨୨, ୨୩ ଓ ୨୪ ତାରିଖ ଦିନ ସକାଳ ୮ ଘଟିକା ସମୟରେ ଉଦିତନଗର ପରେଡ଼ ପଡ଼ିଆରେ ରିଜର୍ଭ ଇନିସ୍‌ପ୍ଟେର ଅଫ ପୋଲିସ, ରାଉରକେଲାଙ୍କ ତତ୍ୱାବଧାନରେ ଅଭ୍ୟାସ ପରେଡ କରାଯିବ l ସାଧାରଣତନ୍ତ୍ର ଦିବସ ଦିନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହରରେ ରାମଧୂନ ଗାନ ପ୍ରଚାର କରାଯିବ । ଉକ୍ତ ଦିନ ସକାଳ ୭ ଘଟିକା ଠାରୁ ୭.୩୦ ମିନିଟ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ପରେଡ଼ରେ ପୋଲିସ ଓ ବେସାମରିକ ପ୍ରତିରକ୍ଷା ବାହିନୀ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସିଭିଲିଆନ ଦଳ, ସିନିୟର ଡିଭିଜନ ଓ ଜୁନିଅର ଡିଭିଜନ ଏନସିସିର ଦଳ ଆଦି ଅଂଶଗ୍ରହଣ କରିବେ । ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ପରିବେଷଣ କରାଯିବ ।

ଏହି ଅବସରରେ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଦେଶାତ୍ମବୋଧକ ସଙ୍ଗୀତଗାନ , ଚିତ୍ରାଙ୍କନ ଆଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ଏବଂ ଏଥିନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷଙ୍କୁଏହାର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଛି । ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଶ୍ରେଷ୍ଠ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ବୈଠକରେ ପରେଡ଼ ପଡିଆର ସାଜସଜ୍ଜା ନିମନ୍ତେ ରାଉରକେଲା ମହାନଗର ନିଗମ କର୍ତୃପକ୍ଷଙ୍କୁ ଦାୟିତ୍ବ ଦେଇଥିବା ବେଳେ ପାନୀୟ ଜଳ ଯୋଗାଣ ନିମନ୍ତେ ୱାଟକୋ କର୍ତୃପକ୍ଷ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । ଅଭ୍ୟାସ ପରେଡ଼ ଦିନ ପରେଡ଼ ପଡ଼ିଆକୁ ଆସିବା ନିମନ୍ତେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ଆରଟିଓକୁ ଅନୁରୋଧ କରାଯାଇଥିଲା l

ଏହା ବ୍ୟତୀତ ରାଉରକେଲା ସରକାରୀ ଡାକ୍ତରଖାନା ଓ କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ବଣାଇଁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ତୃପକ୍ଷ, ବରିଷ୍ଠ ପୋଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ତଥା ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *