ମହାବଳ ବାଘର ଗତିଵିଧି ବୃଦ୍ଧି ନେଇ ସାଧାରଣରେ ଭୟ ଓ ଆତଙ୍କ

ମହାବଳ ବାଘର ଗତିଵିଧି ବୃଦ୍ଧି ନେଇ ସାଧାରଣରେ ଭୟ ଓ ଆତଙ୍କ

ଆର, ଉଦୟଗିରି(ମନୋଜ ପାଢୀ):ଗଜପତି ଜିଲ୍ଲା ମୋହନା ତହସିଲର ସମସ୍ତ ବନାଞ୍ଚଳରେ ମହାବଳର ଗତିବିଧ‌ି ଜାରୀ ରହିଛି. ଗତକାଲି ଶୁକ୍ରବାର ସକାଳେ ଚାନ୍ଦିପୁଟ ନିକଟ ଆକିଲି ଗ୍ରାମରେ ମହାବଳ ବାଘକୁ ଜଣେ ଚାଷୀ ନିକଟରୁ ଦେଖିଛନ୍ତି। ଏନେଇ ସାଧାରଣରେ ଭୟ ଓ ଆତଙ୍କ ପ୍ରକାଶ ପାଇଛି. ଆକିଲି ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ନିକଟ ଚାଷ ଜମିରେ ମହାବଳର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ବନ କର୍ମଚାରୀ ନିକଟସ୍ଥ ଗ୍ରାମବାସୀଙ୍କ ସଚେତନ କରିଛନ୍ତି । ଲଖାରୀ ଅଭୟାରଣ୍ୟ ସୀମାରେ ବାଘ ବୁଲୁଥିବାରୁ ବନ କର୍ମଚାରୀ ସଂରକ୍ଷିତ ଜଙ୍ଗଲକୁ ମହାବଳ ପ୍ରବେଶ କରିବ ବୋଲି ଆଶା ରଖଛନ୍ତି। କିଛି ଦିନ ହେଲା ଘୁରି ବୁଲୁଛି ମହାବଳ। ଗୁରୁବାର ପର୍ଯ୍ୟନ୍ତ ଘୋଡ଼ାହାଡ଼ ଡ୍ୟାମ, ବାଦପୁର, ଜାନି ଆମ୍ବ ଓ ପୁରୁଣାପାଣି ଅଞ୍ଚଳରେ ବାଘ ବୁଲୁଥିବା ନେଇ ବନ ବିଭାଗ ସୂଚନା ଦେଇଥିଲେ. ଶୁକ୍ରବାର ଲଖାରୀ ଅଭୟାରଣ୍ୟ ସୀମାରେ ଥୁବା ଆକିଲି ଫାର୍ମ ନିକଟରେ ବାଘ ପାଦଚିହ୍ନ ପଡ଼ିଥିବା ଦେଖିବାକୁ ମିଳିଛି। ଖବର ପାଇ ଚାନ୍ଦିପୁଟ ବନପାଳ ବାରିକ ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଛନ୍ତି। ଏହା ମହାବଳର ପାଦଚିହ୍ନ ବୋଲି ସ୍ପଷ୍ଟ କରିଛି ବନ ବିଭାଗ। ଆକିଲି ଗାଁର ସୁରେନ୍ଦ୍ର ନାୟକଙ୍କ ପରିବା ବଗିଚାରେ ପାଦଚିହ୍ନ ଠାବ ହୋଇଛି। ମହାବଳ ବାଘ ଢ଼େପାଗୁଡ଼ା କୃଷ୍ଣପୁର ଅଞ୍ଚଳରୁ ଆସି ଏବେ ଆକିଲି ମୁଭିକା ସଂରକ୍ଷଣ ଫାର୍ମ ଭିତରେ ଥିବା କହିଛନ୍ତି ସ୍ଥାନୀୟ ଲୋକ। ଘଟଣା ସ୍ଥଳରେ ଯେଭଳି ବାଘ ପାଦଚିହ୍ନ ପାଖରେ ଆଉ ଏକ ଛୋଟ ଜନ୍ତୁର ପାଦଚିହ୍ନ ପଡିଛି ସେହି ଅନୁଯାଇ ବନ ବିଭାଗ ଅନୁମାନ କରୁଛି ଯେ ମହାବଳ ବାଘ ଖାଦ୍ୟ ଅନ୍ଵେଷଣରେ କୌଣସି ଏକ ଜଙ୍ଗଲୀ ଜନ୍ତୁକୁ ଗୋଡ଼ାଇ ଗୋଡ଼ାଇ ଆସି ଫାର୍ମ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଆକିଲି ଗାଁର ସୁରେନ୍ଦ୍ର ନାୟକଙ୍କ କହିବା ପ୍ରକାରେ, ଶୁକ୍ରବାର ଭୋର ପ୍ରାୟ ସାଢେ ୫ ଟା । ବଳଦକୁ ପଦର ଆଡେ ନେଉଥିଲେ। ବଳଦ ହଠାତ ହୁରୁଡ଼ି ଯାଇଥିଲା I ମନରେ ସନ୍ଦେହ ହେବାରୁ ସୁରେନ୍ଦ୍ର ଆଗକୁ ଯାଇ କିଛି ଦୂରକୁ ଦେଖିଥିଲେ। ୬୦/୭୦ ମିଟର ଦୂରରୁ ବାଘର ପଛରୁ ଦେଖିଥିଲେ। ଯାହାର ଲମ୍ବ ପ୍ରାୟ ୬ରୁ ୭ ଫୁଟ ହେବ ବୋଲି କହିଛନ୍ତି। ବାଘ ଦେଖୁ ସେ ମଧ୍ୟ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଚାନ୍ଦି ପୁଟ ବନପାଳଙ୍କୁ ଜଣାଇଥିଲେ। ବନ କର୍ମଚାରୀ ପାଦଚିହ୍ନ ଯାଞ୍ଚ ପରେ ଏହା ମହାବଳର ପାଦଚିହ୍ନ ବୋଲି ସ୍ପଷ୍ଟ କରିଛନ୍ତି । ଏହାପରେ ଚନ୍ଦ୍ରଗିରି, ଯୁବଗାଁ, ଧନୁପାତା, ଆକିଲି, ମାଣିକପୁର, ଗୁବୁରିଗୁଡ଼ା ଆଦି ଗାଁକୁ ଯାଇ ଲୋକଙ୍କୁ ବାହାରକୁ ନାବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଗତ ମଙ୍ଗଳବାର ଦିନ ଜାନିଆମ୍ବ ଗାଁରେ ଗାଈକୁ ମାରି ଖାଇବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପଇଁତରା ମାରିଥିଲା। ଆକିଲି ଫାର୍ମଟି ଲଖାରୀ ଅଭୟାରଣ୍ୟ ଓ ୩୨୬ ନମ୍ବର ଜାତୀୟ ରାଜପଥ ସୀମା ପାଖରେ ଥିବାରୁ ଭୟଭୀତ ଲୋକ ହୋଇପଡିଛନ୍ତି। ବର୍ତ୍ତମାନ ସୁଦ୍ଧା ମହାବଳଟି ଜନବସତି ମୁହାଁ ହୋଇନଥିବା ବେଳେ ବର୍ତ୍ତମାନ ଆକିଲି ଗାଁ ନିକଟରେ ଘୁରି ବୁଲୁଛି। ତେଣୁ ଲୋକଙ୍କୁ ସତର୍କ କରାଇଛି ବନ ବିଭାଗ।

Leave a Reply

Your email address will not be published. Required fields are marked *