ବରଗଡ ର” ସଂକଳ୍ପ ପରିବାର” ଅଚିହ୍ନା ଶବ ସତ୍କାର କଲା।
ବରଗଡ଼ ୧୯/୧୧:-( ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ନିକଟରୁ ମିଳିଥିବା ଏକ ଅଚିହ୍ନା ଶବକୁ ଆଜି ସଂକଳ୍ପ ପରିବାର ସଦସ୍ୟ ମାନେ ପିପଳମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାରରେ ସତ୍କାର କରିଛନ୍ତି । ସୂଚନା କ୍ରମେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ନିକଟରେ ଗତ ୧୬ ତାରିଖ ଶୁକ୍ରବାର ଦିନ ଝୁଲନ୍ତା ଅବସ୍ଥାରେ ଏକ ମୃତ ଶରୀର ଠାବ ହୋଇଥିଲା । ଗ୍ରାମବାସୀଙ୍କ ଠାରୁ ଖବର ପାଇ ବରଗଡ଼ ଟାଉନ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେହେ ମୃତ ବ୍ୟକ୍ତିର କୌଣସି ପରିଚୟ ପାଇ ପାରିନଥିଲେ, ବରଗଡ଼ ଟାଉନ ଥାନା ୫୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲେ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଶବ ସଂରକ୍ଷଣ ଗୃହରେ ମୃତ ବ୍ୟକ୍ତିଙ୍କ ଶବ ରଖାଯାଇଥିଲା, ଆଜି ମଙ୍ଗଳବାର ଦିନ ୭୨ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଉକ୍ତ ମୃତ ଶରୀର କୌଣସି ପରିଚୟ ବା କୌଣସି ଦାବିଦାର ଆସିନଥିବାରୁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଟାଉନ ଥାନା ପକ୍ଷରୁ ଅନୁରୋଧ କରାଯାଇଥିଲା । ଖବର ପାଇବା ପରେ ସଂକଳ୍ପ ପରିବାରର ସଭାପତି ଶ୍ରୀ ବିକାଶ ଅଗ୍ରୱାଲ, ସମ୍ପାଦକ ଜି. ରମେଶ, ଚିନ୍ମୟ ପାଣ୍ଡେ, ଅନନ୍ତ ସାହୁ, ନବୀନ ବୁଡେକ, ରାଜକୁମାର ବନଛୋର ଓ ପାର୍ବତୀଗିରୀ ବୃଦ୍ଧାଶ୍ରମର ପରିଚାଳକ ଶ୍ରୀ ଜଳନ୍ଧର ପଟେଲ ପ୍ରମୁଖ ପିପଳମୁଣ୍ଡା ସ୍ୱର୍ଗଦ୍ୱାରକୁ ନେଇ ସସମ୍ମାନେ ଶବ ସତ୍କାର କରିଥିଲେ ।ଏହିପରି ସାମାଜିକ କାର୍ଯ୍ଯ କରୁଥିବା ପାଇଁ ” ସଂକଳ୍ପ ପରିବାର” କୁ ସାଧାରଣ ରେ ପ୍ରଶଂସା ଭାଜନ ହୋଇପାରିଛନ୍ତି।